ହିନ୍ଦୁଧର୍ମର ବିଶେଷତା

ହିନ୍ଦୁଧର୍ମର ବିଶେଷତା

ହିନ୍ଦୁ ଶବ୍ଦର ବ୍ୟୁତ୍ପତ୍ତି ବିଷୟରେ ଅନେକ କିଛି କୁହାଯାଇଥିଲେ ମଧ୍ୟ ସାଧାରଣ ଭାବରେ ଯେଉଁମାନେ ଗୋଭକ୍ତ, (କେବଳ ମାତ୍ର ଭାରତୀୟ ଗୋବଂଶ) ବେଦ, ଉପନିଷଦ ଓ ପୁରାଣ ଶାସ୍ତ୍ର ତଥା ଗ୍ରନ୍ଥସାହେବ ପ୍ରଭୃତିରେ ବିଶ୍ବାସ ରଖନ୍ତି, ସବୁ ଧର୍ମକୁ ଯେ ସମାନ ଦୃଷ୍ଟିରେ ଦେଖନ୍ତି, ପୁନର୍ଜନ୍ମରେ ବିଶ୍ବାସୀ, ଜନ୍ମାନ୍ତର ସଂସ୍କାରରେ ମୋକ୍ଷକାମୀ, ସମସ୍ତ ପ୍ରାଣୀଙ୍କ ନିକଟରେ ସମଭାବନା ଯେ ରଖନ୍ତି, ସେ ହିନ୍ଦୁ ଅଟନ୍ତି । ଏହିସବୁ ପ୍ରାଚୀନ ଭାରତୀୟ ରାଷ୍ଟ୍ରଜୀବନର ଅପରିହାର୍ଯ୍ୟ ଅଙ୍ଗ ଅଟେ ।

ଆସିଚ୍ଛୋ ଅର୍ଥାତ୍ ସିନ୍ଧୁ ନଦୀଠାରୁ ଆରମ୍ଭ କରି ସିନ୍ଧୁ ପର୍ଯ୍ୟନ୍ତ ଅର୍ଥାତ୍ ଦକ୍ଷିଣ ସମୁଦ୍ର ପର୍ଯ୍ୟନ୍ତ ବିସ୍ତୃତ ଭାରତଭୂମି ଯାହାର ପିତୃଭୂମି ଏବଂ ପୁଣ୍ୟଭୂମି ଅଟେ, ସେ ହିନ୍ଦୁ ଅଟନ୍ତି । ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ଗ୍ରୀକ୍ଳାମାନେ ଭାରତ ଆସିଥିଲେ, ମେଘାସ୍ଥିନିସ୍ ଭ୍ରମଣ କାହାଣୀ – ସିନ୍ଧୁ-ହିନ୍ଦୁ (Indica Indian) । ହିନ୍ଦୁର ଆଚରଣ-ଚରିତ୍ର-ପ୍ରକୃତି ବିଷୟରେ ଯେଉଁ ଉଲ୍ଲେଖମାନ ମିଳେ, ତାହା ନିମ୍ନରେ ପ୍ରଦତ୍ତ ହେଲା :

“ହିନ୍ଦୁଦୁଃଷ୍ଟା ନ ଭବତି ନାନାର୍ଯ୍ୟା ନ ବିଦୂଷକଃ ।

ସଦ୍ଧର୍ମ ପାଳକେ ବିଦ୍ବାନ୍ ଶ୍ରୋତଧର୍ମ ପରାୟତଃ।’ (ରାମକୋଷ)

ହିନ୍ଦୁ ଦୂଷିତ ଚରିତ୍ର, ଅନାର୍ଯ୍ୟ କିମ୍ବା ଚାଟୁକାର ଜୀବୀ ନୁହନ୍ତି । ସେ ସନାତନ ଧର୍ମର ସଂରକ୍ଷକ, ଜ୍ଞାନୀ ଏବଂ ବୈଦିକ ଧର୍ମର ଅନୁଗାମୀ ଅଟନ୍ତି ।

ମଣିଷ ମନରେ ଆତ୍ମବିଶ୍ବାସ, ନିର୍ମଳ ଭାବନା ଏବଂ ଐଶ୍ବରୀକ ପ୍ରେରଣା ପ୍ରଭୃତି ଭରିଦେବା ପାଇଁ ବିଭିନ୍ନ ଯୁଗରେ ଏବଂ ବିଭିନ୍ନ ଦେଶରେ ସ୍ବତନ୍ତ୍ର ବିଚାରକ୍ଷମ ବ୍ୟକ୍ତି ଆବିର୍ଭୂତ ହୋଇ ଜନସମାଜକୁ ନିର୍ଦ୍ଦିଷ୍ଟ ମାର୍ଗ ପ୍ରଦର୍ଶନ କରିଥା’ନ୍ତି ।

ସେମାନଙ୍କୁ ପ୍ରେରିତ, ମହାପୁରୁଷ ବା ସମ୍ପ୍ରଦାୟର ମାର୍ଗଦର୍ଶକ ବୋଲି କୁହାଯାଏ ଏବଂ ସେମାନଙ୍କଦ୍ବାରା ପ୍ରଦର୍ଶିତ ଉପାସନା-ପଦ୍ଧତିର ବିଶିଷ୍ଟ ମାର୍ଗକୁ ସମ୍ପ୍ରଦାୟ ବୋଲି କୁହାଯାଇଥାଏ । ଏପରି ଭାବେ ଶିବ, ବିଷ୍ଣୁ, ଗଣେଶ, ସରସ୍ବତୀ, ଶକ୍ତି, ବ୍ରହ୍ମା ପ୍ରଭୃତି ସଦାୟର ପ୍ରବର୍ତ୍ତକଙ୍କ ନାମାନୁସାରେ ଶୈବ, ବୈଷ୍ଣବ, ଗାଣପତ୍ୟ, ସାରସ୍ବତ, ଶାକ୍ତ, ବ୍ରାହ୍ମ, ପ୍ରଜାପତ୍ୟ ପ୍ରଭୃତି ଅନେକ ସମ୍ପ୍ରଦାୟ ରହିଛି । ପରବର୍ତ୍ତୀ କାଳରେ ଗୌତମ ବୁଦ୍ଧ, ମହାବୀର ଜୈନ, ଗୁରୁ ନାନକ ପ୍ରଭୃତିଙ୍କ ପ୍ରଣୀତ ବୌଦ୍ଧ, ଜୈନ, ଶିଖ ପ୍ରଭୃତି ସମ୍ପ୍ରଦାୟ ସୃଷ୍ଟି ହୋଇଛି । ଅଧୁନା ସ୍ବାମୀ ଦୟାନନ୍ଦ ସରସ୍ବତୀ, ନିଗମାନନ୍ଦ, ରାମକୃଷ୍ଣ, ସାଇବାବା ପ୍ରଭୃତି ମହାମନୀଷିଗଣ ମଧ୍ୟ ଆର୍ଯ୍ୟ ସମାଜ ପ୍ରଭୃତି ବିଭିନ୍ନ ଅନୁଷ୍ଠାନର ମାର୍ଗଦର୍ଶକ ଅଟନ୍ତି । ଏହି ସମ୍ପର୍କରେ ଏକ ଭାରତୀୟ ସିଦ୍ଧାନ୍ତ ସ୍ମରଣୀୟ ଯଥା –

“ଯଥାନଗେଭ୍ୟା ସ୍ରବିତଃ ଚ ନଦ୍ୟଃ ମିଳନ୍ତ୍ୟଚିରାଜ ଚିରାୟ ସିନ୍ଧି

ତଥୈବ ଯେ ସମ୍ପ୍ରଦାୟାଭିଧାନଃ ନିର୍ଯ୍ୟାନ୍ତି ବ୍ରହ୍ମଣି ପର- ରାସୁ ।”

ବିଭିନ୍ନ ପର୍ବତଗୁଡ଼ିକରୁ ବାହାରିଥିବା ନଦୀଗୁଡ଼ିକ ଯେପରି ଅବିଳମ୍ବ ସମୁଦ୍ରରେ ହିଁ ମିଳିତ ହୁଅନ୍ତି, ସେହିପରି ବିଭିନ୍ନ ଉପାସନା ପଦ୍ଧତି ତଥା ଭିନ୍ନ ଧର୍ମମତକୁ ସ୍ଵୀକାର କରୁଥିବା ବ୍ୟକ୍ତି ଏକ ପରମପୁରୁଷଙ୍କ ଠାରେ ମିଳିତ ହେଉଥା’ନ୍ତି ।

ହିନ୍ଦୁ ଧର୍ମର କୌଣସି ପ୍ରବର୍ଷକ ନାହାନ୍ତି । ତେଣୁ ଏହା ସନାତନ ଧର୍ମ ନାମରେ ନାମିତ । ଏଇ ଧରାପୃଷ୍ଠରେ ବହୁ ମହାନ୍ ସଂସ୍କୃତିର ଉଦୟ ଘଟିଛି; ଆଉ କାଳର କରାଳ ଆଘାତକୁ ସହ୍ୟ କରି ନ ପାରି ମାତ୍ର କେତୋଟି ଶତାବ୍ଦୀ ଭିତରେ ସେଗୁଡ଼ିକ କାଳଗର୍ଭରେ ବିଲୁପ୍ତ ହୋଇଯାଇଛି । କିନ୍ତୁ ହିନ୍ଦୁ ଧର୍ମ ଓ ହିନ୍ଦୁ ସଂସ୍କୃତି ହଜାର ହଜାର ବର୍ଷର ପ୍ରଚଣ୍ଡ ସଂଘର୍ଷ ସେତ୍ତ୍ବେ ଆଜି ବି ଜୀବନ୍ତ ରହିଛି । ଏହା ହେଉଛି ବିଶ୍ବ ଇତିହାସର ସବୁଠୁ ବଳି ଆଶ୍ଚର୍ଯ୍ୟଜନକ ଘଟଣା ।

ଭାରତବର୍ଷର ମନ୍ତ୍ର ଦ୍ରଷ୍ଟା ଋଷିମାନେ ସୃଷ୍ଟିର ରହସ୍ୟ ଓ ଦର୍ଶନକୁ ସାକ୍ଷାତ୍କାର କରିପାରିଥିଲେ । ଏହି ସତ୍ୟ ଉପରେ ଆଧାରିତ ଦର୍ଶନ ଜୀବନ ରଚନାର ମାଧ୍ୟମ କିଭଳି ହୋଇପାରିବ, ସେହି ଭଳି ଏକ ଦୃଷ୍ଟିଭଙ୍ଗୀକୁ ନେଇ ସେମାନେ ହିନ୍ଦୁଧର୍ମ ଓ ସଂସ୍କୃତିର ଅଭ୍ୟୁଦୟ ତଥା ବିକାଶ ଘଟାଇଲେ । ଏହିଭଳି ଏକ ଜୀବନ ଯାପନର ପ୍ରଣାଳୀକୁ ସେମାନେ ବିକଶିତ କରାଇଲେ, ଯାହା କାଳର ପ୍ରଚଣ୍ଡ ଆଘାତ ସତ୍ତ୍ବେ କେବଳ ଜୀବିତ ଯେ ରହିଲା ସେକଥା ନୁହେଁ ବରଂ ବିଶ୍ବରେ ସବୁଠୁ ବଳି ପାଚନକ୍ଷମ ଜୀବନ ପଦ୍ଧତି ଓ ଦର୍ଶନ ରୂପେ ପରିଗଣିତ ହେବାର ଗୌରବ ଲାଭ କଲା । ନିଜର ସମସ୍ତ ଆଭ୍ୟନ୍ତରୀଣ ବିକୃତିକୁ ନିଜେ ସୁଧାରି ନେବାରେ ଏବଂ ଯୁଗାନୁକୂଳ ନୂତନ ଅବବୋଧଗୁଡ଼ିକର ସତ୍ୟକୁ ସ୍ବୀକାର କରି ନିଜର ବିକାଶ ଘଟାଇବାର ହିନ୍ଦୁଧର୍ମ ସଦା ସକ୍ଷମ ରହିଲା; ତଥାପି ଚିରନ୍ତନ ସତ୍ୟ ଉପରେ ଆଧାରିତ ତା’ର ମୌଳିକ ଭିତ୍ତି ଅପରିବର୍ତ୍ତିତ ରହି ଆସିଛି । ବିଶ୍ବବିଖ୍ୟାତ ଐତିହାସିକ Arnold J. Tayanbi ଙ୍କ ଭାଷାରେ, “ମନୁଷ୍ୟ ଚରିତ୍ର ଓ ମନୁଷ୍ଯାଚିତ ପ୍ରବୃତ୍ତିର ଅଜସ୍ର ବିବିଧତା ପ୍ରତି ସୀମାହୀନ ଅନୁକୂଳତାପୂର୍ଣ କ୍ଷମତା ଭିତରେ ହିଁ ହିନ୍ଦୁତ୍ବର ଶାଶ୍ବତମୟ ବାସ୍ତବିକତା ନିହିତ ।” ଏହାହିଁ ହେଉଛି ହଜାର ହଜାର ବର୍ଷର ପରୀକ୍ଷା, ନିରୀକ୍ଷା ପ୍ରୟୋଗ ଓ ସଂଘର୍ଷ ସତ୍ତ୍ବେ ଏ ସଂସ୍କୃତି ଜୀବିତ ରହିବାର ମୁଖ୍ୟ କାରଣ ।

ସଂସ୍କୃତି କ’ଣ ?

ସଂସ୍କୃତି ହେଉଛି ମାନବ ସମୂହ ଦ୍ବାରା ବିକଶିତ ଜୀବନ ପ୍ରଣାଳୀର ସେଇ ‘ସାରତତ୍ତ୍ବ’, ଯାହା ପୁରୁଷ ପରେ ପୁରୁଷ, ସାଇତା ନିଧି ହିସାବରେ ପ୍ରବାହିତ ଚାଲିଥାଏ । ଦୀନ ଦୟାଲ୍ ଉପାଧ୍ୟାୟ ସଂସ୍କୃତିର ବ୍ୟାଖ୍ୟା ନିମ୍ନମତେ କରିଛନ୍ତି,

“ପ୍ରକୃତି ଭିତରେ ଯେଉଁ ‘ଭାବ’ଟି ସୃଷ୍ଟି ସମ୍ବନ୍ଧୀୟ ଧାରଣାକୁ ଅଧିକ ସୁଖମୟ ତଥା ଅଧିକ ସୁଖକର କରି ଗଢ଼ିତୋଳେ, ଆଉ ତା’ର ପରିବର୍ତନ ଘଟାଇ ଅନ୍ୟ ପ୍ରବୃତ୍ତର ବାଧାକୁ ନିୟନ୍ତ୍ରଣ କରେ; ତା’ରି ନାଁ ହିଁ ସଂସ୍କୃତି ।”

ଜୀବନକୁ ସଂରକ୍ଷିତ, ସୁରକ୍ଷିତ ରଖିବାପାଇଁ ହିନ୍ଦୁ ଦର୍ଶନ ଆଧାରରେ ଜୀବନେ ଶୈଳୀକୁ ପରିଚାଳିତ କରିବାର ମାର୍ଗ ହେଉଛି ସଂସ୍କୃତି ।

ଶ୍ରୀ ରାଜଗୋପାଳଚାରୀଙ୍କ ଅନୁଯାୟୀ,

“ସଫଳ ଆତ୍ମସଂଯମର ଅଭ୍ୟାସ ହିଁ ସଂସ୍କୃତି ।”

ସଂସ୍କୃତି ଧର୍ମ ଉପରେ ଆଧାରିତ । କାଳର ପରିବର୍ତ୍ତିତ ପରିସ୍ଥିତି ଜନିତ ଆହ୍ଵାନକୁ ଗ୍ରହଣ କରି ହିନ୍ଦୁଧର୍ମ ଓ ସଂସ୍କୃତିର ବାହ୍ୟ ସ୍ବରୂପ ବିକଶିତ ତଥା ପରିବର୍ତ୍ତିତ ହୋଇଚାଲିଲା; ଏହା ହିଁ ତା’ ଅମରତ୍ବର ଗୂଢ଼ ରହସ୍ୟ । ଶାଶ୍ବତ ସିଦ୍ଧାନ୍ତ କାଳ ଓ ଦେଶର ପରିସ୍ଥିତିଦ୍ବାରା ଅପ୍ରଭାବିତ ରହି ବାହ୍ୟ କଳେବର ସମୟ ଅନୁସାରେ ସଂଶୋଧିତ, ପରିବର୍ଦ୍ଧିତ ହେବାରେ ଲାଗିଲା । ବିଶ୍ବରେ ଜୀବନର ଅତି ଉଦାର ଓ ସମନ୍ବିତ କଳ୍ପନାଟି ଏଇ ଭାରତରେ ହିଁ ବିକଶିତ ହେଲା ।

ହିନ୍ଦୁ ସଂସ୍କୃତିର ବୈଶିଷ୍ଟ୍ୟ :

ସତ୍ୟ ଉପରେ ଆଧାରିତ ଜୀବନର ଶାଶ୍ବତ ମୂଲ୍ୟବୋଧ ଓ ଆଦର୍ଶ ହିଁ ଅସାଧାରଣ ତ୍ୟାଗ, ତପସ୍ୟା ଓ ବଳିଦାନର ସ୍ଥାୟୀ ପ୍ରେରଣା ଦେଇପାରେ । ଏହାହିଁ ହେଉଛି ମୁଖ୍ୟ କାରଣ, ଯେଉଁଥିପାଇଁ ହିନ୍ଦୁଧର୍ମ ଓ ସଂସ୍କୃତି ନିଜ ଅସ୍ତିତୃପାଇଁ ଏତେ ଦୀର୍ଘକାଳ ଧରି ସଂଘର୍ଷ କରିବା ଦିଗରେ ସଫଳ ହେଲା । ହିନ୍ଦୁଧର୍ମର ସନାତନ ସିଦ୍ଧାନ୍ତର ମୂଳରେ ହିଁ ଛପି ରହିଛି ତା’ ଅମରତ୍ବର ଅସଲ ରହସ୍ୟ ।

ସନାତନ – ଆରମ୍ଭ ନାହିଁ କି ଶେଷ ନାହିଁ – ନିତ୍ୟ ନୂତନ ସନାତନ ।

ହିନ୍ଦୁମାନେ ଆତ୍ମାର ଅମରତା ଉପରେ ବିଶ୍ବାସ କରନ୍ତି; ଯେଉଁଥିପାଇଁ ଧର୍ମ, ସଂସ୍କୃତି ଲାଗି ଆତ୍ମବଳୀ ଦେବାବେଳେ ସେମାନେ ଶାରୀରିକ କଷ୍ଟ ସମ୍ବନ୍ଧରେ ଚିନ୍ତା କରନ୍ତି ନାହିଁ । ସେମାନଙ୍କ ତ୍ୟାଗ ଓ ଆତ୍ମବଳୀର ଫଳଶ୍ରୁତି ସେମାନଙ୍କୁ ତାଙ୍କ ଜୀବଦ୍ଦଶାରେ ମିଳିବାର ଆଶା ନ ଥିଲେ ସୁଦ୍ଧା ଆଦୌ ଊଣା ହୁଏନା ସେମାନଙ୍କ ପ୍ରେରଣାର ଅଦମ୍ୟତା । ଏହାର କାରଣ ହେଉଛି, ପୁନର୍ଜନ୍ମର ସିଦ୍ଧାନ୍ତ ଉପରେ ସେମାନଙ୍କ ଅତୁଟ ବିଶ୍ବାସଟି । ଅଗଣିତ ବିପ୍ଳବୀ ବୀର ହସି ହସି ଫାଶି ଖୁଣ୍ଟର ଏହି ଅନ୍ତିମ ଇଚ୍ଛା ଟିକକ ନେଇ ଝୁଲିଗଲେ ଯେ, ସେମାନଙ୍କୁ ଆତ୍ମବଳୀ ଦେବାର ଅବସର ମିଳୁ । ଅବତାରବାଦର ସିଦ୍ଧାନ୍ତ ଯୋଗୁଁ ହିନ୍ଦୁ କେବେହେଲେ ହତୋତ୍ସାହିତ କିମ୍ବା ନିରାଶ ହୋଇ ବର୍ବର ଅତ୍ୟାଚାରୀ ଆଗରେ ଆତ୍ମସମର୍ପଣ କରିପାରି ନାହାନ୍ତି । ସେମାନେ ସବୁବେଳେ ନିଜର ଧର୍ମ ଓ ସଂସ୍କୃତିର ରକ୍ଷା ଲାଗି ସଂଘର୍ଷ କରିଚାଲିଲେ । ଏହାର କାରଣ ହେଉଛି, “ଯେତେବେଳେ ଧର୍ମର ଗ୍ଲାନୀ ଘଟେ, ସେତେବେଳେ ଦୁଷ୍ଟ ଦଳନ ଓ ସଜ୍ଜନ ରକ୍ଷଣ କରି ଧର୍ମର ସ୍ଥାପନା କରିବାକୁ ଯୁଗାବତାରୀମାନେ ମାଟିକୁ ଓହ୍ଲାଇ ଆସନ୍ତି ଓ ଶେଷରେ ସତ୍ୟର ବିଜୟ ଘଟେ ବୋଲି ସେମାନଙ୍କ ମନ ଭିତରେ ଏକ ଅତୁଟ ଆଶା ଉଜ୍ଜୀବିତ ଥାଏ । ହଜାର ହଜାର ବର୍ଷର ତ୍ୟାଗ, ତପସ୍ୟା ଓ ଆତ୍ମବଳୀଦାନର ଉଜ୍ଜଳ ପରମ୍ପରା ରହସ୍ୟ ଉପଯୁକ୍ତ ସିଦ୍ଧାନ୍ତ ତଳେ ଛପି ରହିଛି । ବିଶ୍ବର ଅନ୍ୟ କୌଣସି ଦେଶରେ ଧର୍ମ ସଂସ୍କୃତ୍ତି ରକ୍ଷାପାଇଁ ଏତେ ଦୀର୍ଘକାଳ ଧରି ତ୍ୟାଗମୟ ସଫଳ ସଂଘର୍ଷ ଘଟି ଥିବାର ଉଦାହରଣ ନାହିଁ; ଯାହା ଭାରତବର୍ଷର ସାଧୁସନ୍ଥ ଓ ବୀର ବୀରାଙ୍ଗନାମାନେ କରିଯାଇଛନ୍ତି ।

(୧) ସହିଷ୍ଣୁତା, (୨) ସମନ୍ଵୟବାଦ, (୩) ମାନବତାବାଦୀ ଦୃଷ୍ଟିକୋଣ, (୪) ତର୍କସମ୍ମତ ଦାର୍ଶନିକତା, (୫) ଜୀବନର ସନ୍ତୁଳିତ ଦୃଷ୍ଟିଭଙ୍ଗୀ- ଧର୍ମ, ଅର୍ଥ, କାମ, ମୋକ୍ଷ (ଚାରି ପୁରୁଷାର୍ଥ) ଏ ସମସ୍ତ ସମାନ ମହତ୍ତ୍ବ ବହନ କରିଥା’ନ୍ତି (କୌଣସି ଗୋଟିକୁ ଉପେକ୍ଷା କରି ନୁହେଁ) । ଜୀବନ ରଚନାରେ ଏଭଳି ପଦ୍ଧତି ବିକଶିତ ହୋଇଉଠିଲା, ଯାହା ସାର୍ବଭୌମ ଓ ସାର୍ବକାଳୀନ । କର୍ମଫଳ ସିଦ୍ଧାନ୍ତ, ପୁନର୍ଜନ୍ମ, ଅବତାରବାଦ, ଆତ୍ମାର ଅବନଶ୍ବରତା ତଥା ସର୍ବାତ୍ମାବାଦ ଆଦି ହିନ୍ଦୁଧର୍ମର ମୁଖ୍ୟ ସିଦ୍ଧାନ୍ତ ।

ଧର୍ମ ଶବ୍ଦର ଉତ୍ପତ୍ତ ‘ଧୃ’ ଧାତୁରୁ; ଯାହାର ଅର୍ଥ ହେଉଛି ‘ଧାରଣ କରିବା’ । ‘ଧାରଣାଦ୍ଧର୍ମମିତତ୍ୟାହୁଧର୍ମଣେ ବିଧୃତା ପ୍ରଜାଃ’ । ଧାରଣ କରୁଥିବା ହେତୁ ତାକୁ ଧର୍ମ କୁହାଯାଏ । ଧର୍ମ ପ୍ରଜା (ସମାଜ)କୁ ଧାରଣ କର । ମାନବ ଜୀବନକୁ ସ୍ଥିର, ସୁସଂହତ ଓ ଧାରଣ କରିବାରେ ଯାବତୀୟ ନୀତି ନିୟମ ବ୍ୟବସ୍ଥା ଆଦିକୁ ଧର୍ମ କୁହାଯାଏ । ଧର୍ମର ସ୍ବରୂପ ଏତେ ବିଶାଳ ଯେ, ତାକୁ କୌଣସି ଏକ ବ୍ୟାଖ୍ୟା ଭିତରେ ସୀମିତ ରଖାଯାଇ ପାରିବ ନାହିଁ । ବୈଶେଷିକ ଦର୍ଶନର ପ୍ରଣେତା ମହର୍ଷି କଣାଦ ଧର୍ମର ପରିଭାଷା ନିମ୍ନୋକ୍ତମତେ କରିଛନ୍ତି । ତାଙ୍କ ଅନୁସାରେ ‘ଯତୋଽଭ୍ୟୁଦୟ ନିଶ୍ରେୟସ୍ ସିଦ୍ଧିଃ ସ ଧର୍ମ ।’ ଅର୍ଥାତ୍ ଯେଉଁ ଆଚରଣଦ୍ବାରା ଅଭ୍ୟୁଦୟ ଓ ନିଶ୍ରେୟସ, ଏ ଦୁଇଟିଯାକ ମିଳେ, ତାହାହିଁ ହେଉଛି ଧର୍ମ । ମନୁ ମଧ୍ୟ ଧର୍ମର ଦଶଟି ଲକ୍ଷଣ ବର୍ଣ୍ଣନା କରିଛନ୍ତି, ତାଙ୍କ ମତରେ :

ଧୃତିଃ କ୍ଷମା ଦମୋଽସ୍ତେୟଂ ଶୌଚମିନ୍ଦ୍ରିୟନିଗ୍ରହଃ,

ଧୀର୍ବିଦ୍ୟା ସତ୍ୟମକ୍ରୋଧଃ ଦଶକଂ ଧର୍ମଲକ୍ଷଣମ୍ ।’

ଧୈର୍ଯ୍ୟ, କ୍ଷମା, ସଂଯମ, ଚୋରି ନ କରିବା, ପବିତ୍ରତା, ଇନ୍ଦ୍ରିୟକୁ ଦମନ, ବୁଦ୍ଧି, ବିଦ୍ୟା-ଜ୍ଞାନ, ସତ୍ୟ କହିବା, କ୍ରୋଧ ନ କରିବା ଧର୍ମର ଦଶ ଲକ୍ଷଣ। ଧର୍ମର ଉପଯୁକ୍ତ ଲକ୍ଷଣଗୁଡ଼ିକ ଯୋଗୁଁ ବ୍ୟକ୍ତି ତଥା ସମାଜ ନିଜର ଯଥାର୍ଥ ଜୀବନ ଯାପନ କରିପାରନ୍ତି; ସେଇ ଆଚରଣ ବିଶେଷର ନାଁ ହେଉଛି ଧର୍ମ । ମନୁଷ୍ୟ ଭାବରୁ ପଶୁଭାବ ଆଡ଼କୁ ଢଳିବା ହେଉଛି ପ୍ରକୃତିର ସ୍ବଭାବ । ନିମ୍ନ ଶ୍ଳୋକଟି ସେଇ କଥା ସୂଚାଇ ଦିଏ । ଯଥା :

‘ଆହାର ନିଦ୍ରା ଭୟ ମୈଥୁନଂ ଚ

ସାମାନ୍ୟମେତତ୍ ପଶୁଭିର୍ନରାଣାମ୍,

ଧର୍ମୋହି ତେଷାମଧିକୋ ବିଶେଷା,

ଧର୍ମେଣହୀନଃ ପଶୁଭଃ ସମାନଃ ।’

ଡ. ରାଧାକୃଷ୍ଣନ୍‌ଙ୍କ ଭାଷାରେ, ‘ଧର୍ମ ହେଉଛି ସମ୍ପୁର୍ଣ୍ଣ ମାନବ ସମାଜକୁ ଗୋଟିଏ ସୂତ୍ରରେ ବାନ୍ଧିପାରିବା ଭଳି ଏକ ଶ୍ରେଷ୍ଠ ତତ୍ତ୍ବ ।’ ବାସ୍ତବପକ୍ଷେ ଯାହାଦ୍ବାରା ମାନବ ସମାଜ ଏକ ସୂତ୍ରରେ ବାନ୍ଧିହୁଏ, ତାହା ଧର୍ମ ଓ ଯାହାଦ୍ବାରା ଏହା ଖଣ୍ଡିତ ହୋଇଉଠେ; ତାହା ଅଧର୍ମ । ତେଣୁ ମାନବ ଜୀବନର ସାରତତ୍ତ୍ବ ଧର୍ମ । ଡକ୍ଟର ବାସୁଦେବ ଶରଣ ଅଗ୍ରଓ୍ବାଲ୍‌ଙ୍କ ମତରେ, ‘ଯେଉଁ ବୃତ୍ତିଗୁଡ଼ିକ ମନୁଷ୍ୟକୁ ବିକୃତିରୁ ପ୍ରକୃତି ଓ ପ୍ରକୃତିରୁ ସଂସ୍କୃତି ଆଡ଼କୁ ମୁହାଁଇ ନିଏ, ତାହାହିଁ ହେଉଛି ଯଥାର୍ଥ ଧର୍ମ ।’

ଯିଏ ତର୍କ ଓ ବିଜ୍ଞାନର କଷଟି ପଥରରେ ଖାଣ୍ଟି ବୋଲି ସାବ୍ୟସ୍ତ ହୋଇଛି, ଯିଏ ଅନୁଭବ ସିଦ୍ଧ ଓ ବିଶ୍ବ ଦ୍ବାରା ଅନୁମୋଦିତ, ଏହାହିଁ ହେଉଛି ସତ୍ୟ । ଯିଏ ଅପୌରୁଷେୟ ଅନାଦି କାଳରୁ ଅଖଣ୍ଡ ଭାବେ ଚଳି ଆସୁଛି; ସିଏ ହେଉଛି ସନାତନ । ଯାହାର ବିଶ୍ବର କୌଣସି ସମ୍ପ୍ରଦାୟ, ଅବତାର, ଆଚାର୍ଯ୍ୟ ଓ ପୟଗମ୍ବର ଆଦିଙ୍କ ସହ କୌଣସି ବିରୋଧ ନାହିଁ, ଯିଏ ସମସ୍ତଙ୍କୁ ସମ୍ମାନ ଦିଏ, ଯିଏ ସମ୍ପୁର୍ଣ୍ଣ ବିଶ୍ବକୁ ଆଶ୍ରୟ ଦେଇଥାଏ, ସେଇ ହିଁ ହେଉଛି ବିଶ୍ବଧର୍ମ ଅଥବା ସାର୍ବଭୌମ ଧର୍ମ । ଏହିଭଳି ସତ୍ୟ ସନାତନ ବିଶ୍ଵଧର୍ମର ଦର୍ଶନ ସର୍ବ ପ୍ରଥମେ ବେଦମାନଙ୍କ ଭିତରେ, ବେଦାନ୍ତ ଦର୍ଶନରେ ଓ ଭଗବତ୍ ଗୀତା ଭିତରେ ଦେଖିବାକୁ ମିଳିଥିଲା। ମହାଭାରତର ବନ ପର୍ବରେ ସେଇ ମର୍ମରେ ଏକ ଶ୍ଳୋକ ଅଛି :

‘ଧର୍ମୋଯୋ ବାଧତେଧର୍ମୋ ନ ସ ଧର୍ମଃ କୁଧର୍ମ ତତ୍, ଅବିରୋଧୀ ତୁ ଯୋ ଧର୍ମଃ ସ ଧର୍ମଃ ସତ୍ୟବିକ୍ରମଃ ।

ଅର୍ଥାତ୍ ଯେଉଁ ଧର୍ମ ଅନ୍ୟ ଧର୍ମ ପ୍ରତି ବାଧା ସୃଷ୍ଟି କରେ, ଅନ୍ୟ ଧର୍ମ ସହ ଲଢ଼େଇ କରିବାକୁ ପ୍ରେରିତ କରାଏ, ତାହା ଧର୍ମ ନୁହେଁ, କୁମାର୍ଗ । ପ୍ରକୃତ ଧର୍ମ ତ ସିଏ, ଯିଏ ଧର୍ମ ବିରୋଧୀ ନୁହେଁ ।

ଧର୍ମଭୂମି ଓ ସମ୍ପ୍ରଦାୟ ପଥ :

ଆଜି କେତେକ ଲୋକ ରାଜନୈତିକ ଦୃଷ୍ଟିକୋଣରୁ ପ୍ରେରିତ ହୋଇ ଧର୍ମକୁ ସମ୍ପ୍ରଦାୟ ଅର୍ଥରେ ବ୍ୟବହାର କରୁଛନ୍ତି । ପ୍ରକୃତପକ୍ଷେ ହିନ୍ଦୁଧର୍ମ ତ ସେଇ ଧର୍ମର ବୋଧ କରାଏ, ଯେଉଁ ଧର୍ମର ବୈଶିଷ୍ଟ୍ୟ ଗୁଡ଼ିକ ଉପରେ ବର୍ଣ୍ଣନା କରାଗଲା । ହିନ୍ଦୁଧର୍ମରେ ଅନେକ ସମ୍ପ୍ରଦାୟର ସମାବେଶ ଘଟିଛି । ସମ୍ପ୍ରଦାୟ ଶବ୍ଦର ଅର୍ଥ ହେଉଛି, ‘ସମ୍ୟକ୍ ପ୍ରଦୀୟତେ ଇତି ସମ୍ପ୍ରଦାୟ’ । ଅର୍ଥାତ୍ ଗୁରୁ ପରମ୍ପରା କ୍ରମେ ଯାହା ସମ୍ୟକ୍ ରୂପରେ ଚଳିଆସୁଛି ଏବଂ ଗୁରୁ ଯେଉଁ ଥିରେ ଶିଷ୍ୟକୁ ସମ୍ୟକ୍ ରୂପେ ମନ୍ତ୍ର, ଆରାଧ୍ୟ, ଆରାଧନା ପଦ୍ଧତି ତଥା ଆଚାର ପଦ୍ଧତି ପ୍ରଦାନ କରନ୍ତି, ତା’ର ନାମ ହେଉଛି ସମ୍ପ୍ରଦାୟ । ସମ୍ପ୍ରଦାୟର ଅର୍ଥ ହେଉଛି ଧର୍ମର ପଥବିଶେଷ । ସମ୍ପ୍ରଦାୟ ଶବ୍ଦ ତେଣୁ ସଂକୀର୍ଣ୍ଣତାଯୁକ୍ତ ନୁହେଁ । ସାମ୍ପ୍ରଦାୟିକର ସଠିକ୍ ଅର୍ଥ ହେଉଛି ସାଧନା ପଥରେ ଆରୂଢ଼ । ଯିଏ ଧର୍ମର ଲକ୍ଷ୍ୟପ୍ରାପ୍ତିପାଇଁ ଚେଷ୍ଟା କରେ, ତାକୁ କୌଣସି ନା କୌଣସି ପଥ ବାଛିବାକୁ ପଡ଼ିଥାଏ । ଧର୍ମ ହେଉଛି ସାର୍ବଭୌମ ।

ସିଏ ଏଭଳି ଏକ ଭୂମି, ଯାହା ଉପରେ ନାନା ପଥ ଅଛି । ସବୁଯାକ ପଥ ଭୂମି ଉପରେ । ସମ୍ପ୍ରଦାୟ ହେଉଛି ପଥ, ଭୂମି ନୁହେଁ । ଧାରଣ କରୁଥିବା ତତ୍ତ୍ବ ହେଉଛି ଧର୍ମ । ତାହା ନ ରହିଲେ ମନୁଷ୍ୟତାର ମୃତ୍ୟୁ ଘଟି ଯିବ । ସେଥିପାଇଁ ସେଥିରେ ଦେଶ, କାଳ, ପାତ୍ରର ଆଧାରରେ କର୍ମକାଣ୍ଡର ବୈଶିଷ୍ଟ୍ୟ ନିହିତ ଥାଏ । ଯେଉଁଥିପାଇଁ ତାହାର ପ୍ରଭାବ ମଧ୍ୟ ସୀମିତ । ଏକ ହିନ୍ଦୁଧର୍ମ ଭିତରେ ଅନେକ ସମ୍ପ୍ରଦାୟ । କିନ୍ତୁ ଧର୍ମର ସିଦ୍ଧାନ୍ତ ଗୋଟିଏ ହୋଇଥିବାରୁ ସେଗୁଡ଼ିକ ଭିତରେ କୌଣସି ବିରୋଧ ଦେଖାଦିଏ ନାହିଁ ।

ରକ୍ତପାତର କାରଣ ଧର୍ମ ନୁହେଁ; ବରଂ ଗୋଟିଏ ସମ୍ପ୍ରଦାୟର କର୍ମକାଣ୍ଡ ସହ ଅନ୍ୟ ଏକ ସମ୍ପ୍ରଦାୟର କର୍ମକାଣ୍ଡର ବିରୋଧ ହିଁ ଏହାର ମୁଖ୍ୟକାରଣ । କେତେକ ସମ୍ପ୍ରଦାୟ (ମୁସଲମାନ ଓ ଖ୍ରୀଷ୍ଟିୟାନ୍ ଆଦି)ରେ ଅନ୍ୟ ସମ୍ପ୍ରଦାୟର ଲୋକଙ୍କୁ ଯେନ ତେନ ପ୍ରକାରେଣ ନିଜ ସମ୍ପ୍ରଦାୟଭୁକ୍ତ କରାଇବାଟାକୁ ପୁଣ୍ୟ ବୋଲି ଗଣାଯାଇଥାଏ । ସାମ୍ରାଜ୍ୟବାଦୀ ଶକ୍ତି ଗୁଡ଼ିକ ମଧ୍ୟ ସମ୍ପ୍ରଦାୟକୁ ରାଜ୍ୟ ବିସ୍ତାର ର ମାଧ୍ୟମ ହିସାବରେ ବ୍ୟବହାର କରିଛନ୍ତି । ଆକ୍ରମଣକାରୀ ମାନଙ୍କ ସମ୍ପ୍ରଦାୟ ଭିତରେ ସମାବିଷ୍ଟ ହୋଇଯିବା ଦ୍ବାରା ଲୋକେ ନିଜକୁ ଆକ୍ରମଣକାରୀଙ୍କ ସମ୍ବନ୍ଧିତ ବୋଲି ବିଚାରନ୍ତି । ଏଣେ ସେମାନଙ୍କୁ ଅନ୍ୟ ମତାବଲମ୍ବୀଙ୍କ ତୁଳନାରେ ଅଧିକ ସୁଖ ସୁବିଧା ମଧ୍ୟ ମିଳିଥାଏ । ଏହି ପଟ୍ଟ ପରିବର୍ତ୍ତିତ ଲୋକେ ଆକ୍ରମଣକାରୀଙ୍କ ରାଜ୍ୟ ବିସ୍ତାରର ପୋଷଣ ଦିଗରେ ବିଶେଷଭାବେ ସହାୟକ ହୋଇଥାନ୍ତି ।

ହିନ୍ଦୁଧର୍ମର ସର୍ବାତ୍ମବାଦୀ ସିଦ୍ଧାନ୍ତଦ୍ବାରା ଆମ ଦୃଷ୍ଟିକୋଣର ଉଦାରତା ଓ ବିଶାଳତା ବିକଶିତ ହୋଇଛି । ଈଶୋପନିଷଦରେ କୁହାଯାଇଛି :

“ଈଶାବାସ୍ୟମିଦଂ ସର୍ବଂ ଯତ୍କିଞ୍ଚ ଜଗତ୍ୟାଂଜଗତ୍, ତେନତ୍ୟକ୍ତେନ ଭୁଞ୍ଜୀଥା ମା ଗୃଧଃ କସ୍ୟସ୍ଵିଦ୍ଧନମ୍।”

“ଏହି ଦୃଶ୍ୟମାନ ଜଗତରେ ଯାହାକିଛି ଅଛି, ସେସବୁ ଈଶ ଅର୍ଥାତ୍ ପରଂବ୍ରହ୍ମ ପର ମାତ୍ମାମୟ । ଏହି ସଂସାରର ବିନିଯୋଗ ତ୍ୟାଗ ଭାବରେ କର । କେବେ କାହାର ଧନ ଅପହରଣ କରନା ।’’ ହିନ୍ଦୁର ଉଦାର ହୃଦୟ ସମସ୍ତ ବସୁଧାକୁ କୁଟୁମ୍ବ ହିସାବରେ ମାନିଥାଏ । ହିତୋପଦେଶରେ କୁହାଯାଇଛି:

“ଅୟଂ ନିଜଃ ପରୋବେତି ଗଣନା ଲଘୁଚେତସାମ୍, ଉଦାରଚରିତାନାଂ ତୁ ବସୁଧୈବ କୁଟୁମ୍ବକମ୍ ।

“ଏଇଟା ନିଜର କି ପରର, – ଏଭଳି ବିଚାର ତୁଚ୍ଛ ବୁଦ୍ଧିସମ୍ପନ୍ନ ବ୍ୟକ୍ତି କରିଥାଏ । କିନ୍ତୁ ବିଶାଳ ହୃଦୟସମ୍ପନ୍ନ ବ୍ୟକ୍ତି ସାରା ଜଗତଟାକୁ ନିଜର କୁଟୁମ୍ବ ମଣିଥାଏ ।” ଏଇ ଭାବନା ବଳରେ ହିନ୍ଦୁ ପର ସ୍ତ୍ରୀକୁ ମାଆ ଭଳି, ପରଦ୍ରବ୍ୟକୁ ମାଟି ପିଣ୍ଡୁଳା ଭଳି ଓ ପ୍ରାଣୀମାତ୍ରକୁ ନିଜ ଭଳି ଜ୍ଞାନ କରିଥାଏ ।

“ମାତୃବତ୍ ପରଦାରେଷୁ, ପରଦ୍ରବ୍ୟଷୁ ଲୋଷ୍ଟ୍ରବତ୍, ଆତ୍ମବତ୍ ସର୍ବଭୂତେଷୁ ଯଃ ପଶ୍ୟତି ସ ପଣ୍ଡିତଃ ।’’

ଏଇ ଉଦାରବାଦୀ ଦୃଷ୍ଟିକୋଣରୁ ହିନ୍ଦୁ ସମସ୍ତଙ୍କ କଲ୍ୟାଣ କାମନା କରିଥାଏ ।

“ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖଭାଗ୍ ଭବତ୍ ।”

ଗରୁଡ଼ ପୁରାଣ : ଶାନ୍ତି ମନ୍ତ୍ର

“ସଂସାରରେ ସବୁ ପ୍ରାଣୀ ସୁଖୀ ତଥା ନିରୋଗ ରହନ୍ତୁ । ସମସ୍ତଙ୍କ ଜୀବନ କଲ୍ୟାଣମୟ ହେଉ । କେହି ଦୁଃଖ ନ ପାଉ ।”

ମହର୍ଷି ବ୍ୟାସ ଧର୍ମର ସାରକୁ ସଂକ୍ଷେପରେ ବ୍ୟକ୍ତ କରି କହନ୍ତି :

“ଆତ୍ମନଃ ପ୍ରତିକୂଳାନି ପରେଷାଂ ନ ସମାଚରେତ୍ ।”

ଅର୍ଥାତ୍, ଯାହା ନିଜପାଇଁ ବିପରୀତ, ତାକୁ ଅନ୍ୟ ପାଇଁ ବ୍ୟବହାର କର ନାହିଁ । ହିନ୍ଦୁଧର୍ମରେ ବ୍ୟାବହାରିକତା ଦୃଷ୍ଟିରୁ ପରୋପକାରକୁ ସବୁଠୁ ବଡ଼ ମହତ୍ତ୍ବ ଦିଆଯାଇଛି । ସେଥିପାଇଁ ମହର୍ଷି ବ୍ୟାସ କହନ୍ତି :

“ଅଷ୍ଟାଦଶପୁରାଣେଷୁ ବ୍ୟାସସ୍ୟ ବଚନଦ୍ବୟମ୍, ପରୋପକାରାୟ ପୁଣ୍ୟାୟ ପାପାୟ ପରପୀଡ଼ନମ୍ ।’

ଅର୍ଥାତ୍, ଅଠର ଖଣ୍ଡ ପୁରାଣରେ ବ୍ୟାସ ମାତ୍ର ଦୁଇଟି କଥା କହିଛନ୍ତି । ପରୋପକାର ହେଉଛି ପୁଣ୍ୟ ଓ ଅନ୍ୟକୁ କଷ୍ଟ ଦେବାଟା ପାପ ।” ଭଗବାନ୍ ବିଷ୍ଣୁ ପରୋପକାର ଓ ମୋକ୍ଷକୁ ତରାଜୁରେ ତଉଲିବାରୁ ଦେଖ‌ିଲେ ଯେ ପରୋପକାର ମୋକ୍ଷଠାରୁ ଅଧିକ ଓଜନିଆ ହେଲା । ସେଇଥିପାଇଁ ଲୋକକଲ୍ୟାଣ ହେତୁ ସେ ଦଶଟି ଅବତାର ଧାରଣ କଲେ ।

“ପରୋପକୃତଂ କୈବଲ୍ୟଂ ତୋଲୟିତ୍ବା ଜନାର୍ଦ୍ଦନଃ, ଗୁର୍ବିମୁପକୃତଂ ମତ୍ବା ଗୃହୀତଃ ହ୍ୟବତରାନ୍ ଦଶଃ ।”

ଭାରତରେ ପ୍ରକୃଷ୍ଟ ବିଜ୍ଞାନ ସମ୍ମତ ମାନବଧର୍ମର ବିକାଶ ଘଟିଛି । ସେଇଥିପାଇଁ ଏହା ବିଶ୍ବକୁ ସଦାଚାର ଓ ଶୀଳ ଶିକ୍ଷା ଦେବାରେ ସମର୍ଥ ହୋଇପାରିଲା । ପୃଥିବୀର ମାନବ ସମାଜକୁ ଆହ୍ବାନ ଦେଇ ମନୁ କହିଛନ୍ତି :

“ଏତଦ୍ଦେଶ ପ୍ରସୂତସ୍ୟ ସକାଶାଦଗ୍ରଜନ୍ମନଃ,

ସ୍ଵଂ ସ୍ଵଂ ଚରିତଂ ଶିକ୍ଷେରନ୍ ପୃଥିବ୍ୟାଂ ସର୍ବମାନବାଃ ।”

“ଭାରତରେ ଜନ୍ମ ନେଇଥିବା ବେଦଜ୍ଞ ବ୍ରାହ୍ମଣଙ୍କଠାରୁ ସବୁଦେଶର ସବୁ ମନୁଷ୍ୟ ନିଜ ନିଜର ଶୀଳ, ସଦାଚାର ଓ ଚରିତ୍ରର ଶିକ୍ଷା ଗ୍ରହଣ କରନ୍ତୁ ।”

ହିନ୍ଦୁ ଜାତୀୟତାବାଦ :

ବୈଷ୍ଣବ, ଶାକ୍ତ, ଶୈବ, ଶିଖ, ବୌଦ୍ଧ, ଜୈନ ଏହି ସମସ୍ତଙ୍କ ସାମାଜିକ ଜୀବନ ପଦ୍ଧତି ହିନ୍ଦୁ କୋଡ୍ ବିଲ୍ ଅନୁସାରେ ନିର୍ଦ୍ଧାରିତ ହୋଇଥିବା କାରଣରୁ ଆମେ ହିନ୍ଦୁ ବୋଲି ଆମ ସମ୍ବିଧାନ ହିଁ ସ୍ବୀକାର କରିସାରିଛି । ପୁନଶ୍ଚ ପ୍ରୋଟେଷ୍ଟାଣ୍ଟ, କାଥୋଲିକ୍, କ୍ବାକର, ମର୍ମନ, ମେଥଡିଷ୍ଟ ପ୍ରଭୃତି ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ଥିଲେ ମଧ୍ୟ ସମସ୍ତେ ଯେପରି ଖ୍ରୀଷ୍ଟିୟାନ ଅଟନ୍ତି ଏବଂ ସିହୟ, ସୁନି, ହାସାସିନ୍, ଅଜାଲି, ବହାଇ, ପ୍ରଭୃତି ଗୋଷ୍ଠୀରେ ବିଭକ୍ତ ଥିଲେ ମଧ୍ୟ ସମସ୍ତେ ଯେପରି ମୁସଲମାନ ଜାତି ଅଟନ୍ତି, ଶୈବ, ଜୈନ, ବୌଦ୍ଧ, ଶିଖ ପ୍ରଭୃତି ଗୋଷ୍ଠୀରେ ବିଭକ୍ତ ଥାଇ ସମସ୍ତେ ସେହିପରି ହିନ୍ଦୁ ହିଁ ଅଟନ୍ତି । ପ୍ରାନ୍ତୀୟ ବା ଆଞ୍ଚଳିକ ଭାଷାଗତ ଭାବନା ଦୃଷ୍ଟିରୁ ଓଡ଼ିଆ, ତେଲୁଗୁ, ତାମିଲ, କନ୍ନଡ଼, ମାଲୟାଲୀ, ମରାଠୀ, ବିହାରୀ, ଗୁଜରାଟୀ, ରାଜସ୍ଥାନୀ, ବଙ୍ଗାଳୀ, ଅସମିଆ, ମଣିପୁରୀ, ତ୍ରିପୁରୀ, ସିନ୍ଧୀ, ପଞ୍ଜାବୀ, ହରିୟାନୀ, କାଶ୍ମୀରୀ ପ୍ରଭୃତି ବିଭିନ୍ନ ଭାଷା ଆଧାରରେ ଭାରତୀୟ ଗଣ ସମ୍ବୋଧିତ ଓ କଥିତ ହେଉଥିଲେ ମଧ୍ୟ ଭାରତୀୟ ଭାଷାବିଜ୍ଞାନର ଆଧାରରେ ସମସ୍ତ ଭାରତୀୟ ଭାଷାର ବର୍ଗୀକରଣ ହୋଇଛି । ସମସ୍ତ ଭାରତୀୟ ଭାଷା, ଭାରତୀୟ ସଂସ୍କୃତିର ବାହକ ଅଟନ୍ତି । ତେଣୁ ସମସ୍ତ ଭାରତୀୟ ଭାଷାଭାଷୀ ହିନ୍ଦୁହିଁ ଅଟନ୍ତି ।

ଭାରତକୁ ନିଜର ମାତୃଭୂମି, ପିତୃଭୂମି, ଧର୍ମଭୂମି ଓ ପୁଣ୍ୟଭୂମି ମାନୁଥିବା ହିନ୍ଦୁସ୍ଥାନର ମୁସଲମାନ ଏବଂ ଖ୍ରୀଷ୍ଟିୟାନମାନେ ମଧ୍ୟ ହିନ୍ଦୁ ପଦବାଚ୍ୟ ଅଟନ୍ତି ।

ହିନ୍ଦୁଧର୍ମରେ ଈଶ୍ବର ହେଉଛନ୍ତି ପରିପୂର୍ଣ ବ୍ରହ୍ମ । ତାଙ୍କ ର ଇଚ୍ଛାରୁ ବିଶ୍ବବ୍ରହ୍ମାଣ୍ଡ ସୃଷ୍ଟି । ଏକୋଽହଂ ବହୁଶ୍ୟାମ୍ – ଏକରୁ ଅନେକ । ଏକମ୍ ସତ୍ ବିପ୍ରା ବହୁଧା ବଦନ୍ତି । ଓଁ ପୂର୍ଣମଦଃ ପୂର୍ଣମିଦଂ ପୂର୍ଣାତ୍ ପୂର୍ଣମୁଦଚ୍ୟତେ । ପୂର୍ଣସ୍ୟ ପୂର୍ଣ୍ଣ ମାଦାୟ ପୂର୍ଣମେବା ବଶିଷ୍ୟତେ । ଅନ୍ଧାରରୁ ଆଲୋକ ଆଡ଼କୁ ଯିବା ପୂର୍ବରେ ମିଶିବା, ଲକ୍ଷ୍ୟ – ଅସତା ମା ସଦ୍‌ମୟ ତମସା ମା ଜ୍ୟୋତିର୍ଗମୟ, ଆତ୍ମା ମୋକ୍ଷାର୍ଥୀ ଜଗତାୟ ଚ ।

ଧର୍ମର ଅନ୍ୟ ଏକ ଅର୍ଥ ହେଉଛି କର୍ତ୍ତବ୍ୟବୋଧ । କର୍ତ୍ତବ୍ୟ ପାଳନ କରିବାପାଇଁ ଧର୍ମକୁ ଆଚରଣ ହିସାବରେ, ନିୟମ ଭାବରେ ବ୍ୟବହାର କରାଯାଇଛି । ପିତାର ପୁଅ ପ୍ରତି କର୍ଭବ୍ୟ ପିତାଧର୍ମ, ପତ୍ନୀ ପ୍ରତି କର୍ତ୍ତବ୍ୟ ପତ୍ନୀଧର୍ମ, ସେହିପରି ପୁତ୍ରଧର୍ମ – ଭାଇଙ୍କ ପ୍ରତି କର୍ତ୍ତବ୍ୟ ଭ୍ରାତୃଧର୍ମ, ପଡ଼ୋଶୀ ଧର୍ମ, ଅତିଥି ଧର୍ମ, ଜଳର ଧର୍ମ – ତଳକୁ ବୋହିବା, ଅଗ୍ନି – ଜାଳିବା ଇତ୍ୟାଦି ଧର୍ମ ରୂପେ ଗୃହୀତ ହୋଇଛି । ଏହିପରି କଉଁବ୍ୟ ଆଚରଣ ଓ ନିୟମ ଭାବରେ ଏ ସମସ୍ତ ପାଳିତ ହୋଇଆସୁଛି ।

Way of Life – ହିନ୍ଦୁ ଜୀବନ ପଦ୍ଧତି : ଜୀବନେଶୈଳୀ – କେମିତି ଚଳିବା, କହିବା, ଅନ୍ୟକୁ ବତାଇବା, ସହଯୋଗ, ଜନ୍ମଠୁ ମୃତ୍ୟୁ ପର୍ଯ୍ୟନ୍ତ ଜୀବନ ରଚନା – ହିନ୍ଦୁଧର୍ମ ଆଧାରିତ ଅଟେ ।

ହିନ୍ଦୁଧର୍ମ ଅନୁସାରେ ପୃଥବୀ, ବିଶ୍ବବ୍ରହ୍ମାଣ୍ଡ, ଯୁଗ-ଚତୁର୍ୟୁଗ – ଏମିତି ଅନେକ ଗଣନା ଉପରେ ବିଶ୍ବାସ କରି ଆମେ କଳିଯୁଗରେ ପ୍ରବେଶ କରିଛୁ । କଳିଯୁଗର ବୟସ ୪,୩୨,୦୦୦ ବର୍ଷ । ଏବେ ଯୁଗାବ୍ଦ ୫୧୨୨- ଅର୍ଥାତ୍ ଆମର ଏ ପରମ୍ପରା, ସଂସ୍କୃତି ସବୁଠୁ ପୁରୁଣା । ଯେମିତି ରାମସେତୁ ରକ୍ଷା ଆନ୍ଦୋଳନ ସମୟରେ ଆମେରିକାର ବୈଜ୍ଞାନିକମାନେ ମତ ଦେଲେ, ଶ୍ରୀରାମଙ୍କ ଦ୍ବାରା ନିର୍ମିତ ରାମସେତୁ କମ୍‌ସେକମ୍ ୧,୭୫,୦୦୦ ପୂର୍ବେ ନିର୍ମିତ ହୋଇଥିଲା ।

ଆମ ଭିତରେ ଅନେକ ମତ ସମ୍ପ୍ରଦାୟ ଥିଲେ ବି ଆପଣମାନେ କେବେ ଶୁଣି ନ ଥିବେ, ଯେମିତି ବୈଷ୍ଣବ ମତାବଲମ୍ବୀ ଶୈବଙ୍କ ସହିତ ଝଗଡ଼ା ହୋଇ ମରିଗଲେ । ରାମଙ୍କୁ ମାନୁଥିବା ଭକ୍ତ କୃଷ୍ଣଭକ୍ତ ସହିତ ଗଣ୍ଡଗୋଳ ହେବା, ସତ୍ୟସାଇ ସହିତ ଜୟଗୁରୁଙ୍କ ମାରପିଟ୍ ଏସବୁ ଅସମ୍ଭବ । କାରଣ ସମସ୍ତେ ବିଶାଳ ହୃଦୟୀ । ସମସ୍ତଙ୍କ ଧାରଣା ଯେମିତି ପୂଜା କର ଭଗବାନ୍‌ଙ୍କ ନିକଟରେ ପହଞ୍ଚିବ – ‘କେଶବଂ ପ୍ରତି ଗଚ୍ଛତି’ ।

ଭଗବାନ୍ ସର୍ବବ୍ୟାପୀ । ସକଳ ଘଟେ ନାରାୟଣ । ସନ୍ଥ ନାମେଦେବ ଘିଅର ଗିନା କୁକୁର ପଛରେ ଧରି ଗୋଡ଼ାଇଥିଲେ । କାରଣ ସୁଖାରୋଟି ନ ଖାଇ ଘିଅ ରୋଟି ଖା, ମାନେ କୁକୁର ଭିତର ଭଗବାନ୍‌ଙ୍କ ଦର୍ଶନ ।

ପୁନର୍ଜନ୍ମ – ଏ ବିଶ୍ବାସ ଥବାରୁ ଜୀବନକୁ ସୁଧାରିବାର ଚେଷ୍ଟା, ପ୍ରଗତି, ଜନ୍ମ-ଜନ୍ମାନ୍ତର ।

ମୋକ୍ଷ – ପରମାତ୍ମାଙ୍କ ସହିତ ମିଳନ । ପୁନର୍ଜନ୍ମ ନ ବିଦ୍ୟତେ ।

ଆମର ଭଗବାନ୍ ପିତା, ପୁତ୍ର, ସଖା, ବନ୍ଧୁ ହିସାବରେ ଆମକୁ ଦର୍ଶନ ଦେବାର ଅସଂଖ୍ୟ ଉଦାହରଣ ରହିଛି ।

ହିନ୍ଦୁ ନିଜ ଦେଶକୁ ମାତୃଭୂମି, ଧର୍ମଭୂମି, କର୍ମଭୂମି, ମୋକ୍ଷଭୂମି, ପୁଣ୍ୟଭୂମି, ହିନ୍ଦୁ ଭୂମି ଭାବରେ ଦେଖେ । ଏହା କେବଳ ମାଟି, ପାଣି, ଗୋଡ଼ିର ଦେଶ ନୁହେଁ, ଏହା ତ ଚିନ୍ମୟୀ, ଜଗଦ୍ଧାତ୍ରୀ, ଜଗଦମ୍ବା । ଭାରତମାତା- ମା’ର ସଂସ୍କୃତି, ଗୀତା ମାତା, ଗଙ୍ଗା ମାତା, ଗୋମାତା, ତୁଳସୀ ମାତା, ପ୍ରକୃତିକୁ ମା’ ବୋଲି ପୂଜା କରେ । ବୃକ୍ଷଦେବତା, ସାପକୁ ବି ଦେବତା ରୂପେ ପୂଜା କରିଥାଏ । ଜହ୍ନମାମୁ, ବାଘମାମୁ ଏପରି ସମସ୍ତଙ୍କ ଠାରେ ଆତ୍ମୀୟ ସମ୍ବନ୍ଧ ସ୍ଥାପନ କରେ ।

Way of Life – ଜୀବନ ପଦ୍ଧତି – ଶୈଳୀ –

୪ର୍ଥ ପୁରୁଷାର୍ଥ,

୧୬ ସଂସ୍କାର,

ପଞ୍ଚକୋଶ: ଅନ୍ନ-ପ୍ରାଣ-ମନୋ-ବିଜ୍ଞାନ-ଆନନ୍ଦମ ୟ କୋଷ ।

୧୦- ଇନ୍ଦ୍ରିୟ,

୫ କର୍ମେନ୍ଦ୍ରିୟ,

ପଞ୍ଚ ମହାଭୂତ: ଅଗ୍ନି, ଜଳ, ବାୟୁ, ପୃଥିବୀ, ଆକାଶଦ୍ବାରା ନିର୍ମିତ ଶରୀରରେ

୫ କର୍ମେନ୍ଦ୍ରିୟ – ଚକ୍ଷୁ, ନାସା, କର୍ଣ, ଜିହ୍ବା, ଚର୍ମ

୫ ତନ୍ମାତ୍ର – ଦୃଷ୍ଟି, ଘ୍ରାଣେନ୍ଦ୍ରିୟ, ଶ୍ରବଣ, ରସ, ସ୍ପର୍ଶ

୫ ପ୍ରାଣ – ପ୍ରାଣ, ଅପାନ, ଉଦାନ, ସମାନ, ବ୍ୟାୟନ

୫ ବାୟୁ – ନାଗ, କୁର୍ମ, କୁକଳ, ଦେବଦତ୍ତ, ଧନଞ୍ଜୟ

ଏକାତ୍ମ ମାନବ – ଶରୀର, ମନ, ବୁଦ୍ଧି, ଆତ୍ମା

ପାଶ୍ଚାତ୍ୟ ଦର୍ଶନ, Social Contact theory ସମର୍ଥକ ଥୋମାସ୍ ହବ୍ସ, ଜନ୍ ଲକ୍, ଫରାସୀ ଦାର୍ଶନିକ ରୁଷା, ବ୍ୟକ୍ତି ସମାଜର ସମ୍ପର୍କକୁ ଏକ ଚୁକ୍ତିର ପରିଣାମ ବୋଲି କହିଛନ୍ତି । ତଦ୍ବାରା ବ୍ୟକ୍ତି ସମାଜଠାରୁ ସ୍ବତନ୍ତ୍ର । କିନ୍ତୁ ବାସ୍ତବରେ ସନାତନ ସଂସ୍କୃତି, ସମଗ୍ର ମାନବ ସମାଜ ସ୍ରଷ୍ଟାଙ୍କର ଏକ ପରିପ୍ରକାଶ ଏବଂ ପରମାତ୍ମାଙ୍କର ଅଂଶବିଶେଷ ହେଉଛି ଜୀବାତ୍ମା । ସମଗ୍ର ବିଶ୍ବ ଏଜ ପରିବାର ଅଟେ । ତେଣୁ ବ୍ୟକ୍ତି-ବ୍ୟଷ୍ଟି-ସମଷ୍ଟି-ପରମେଷ୍ଟୀ ଏହାହିଁ ଧାରଣା ଅଟେ ।

ହିନ୍ଦୁ ଧର୍ମ ବିଶ୍ବର କଲ୍ୟାଣକାରୀ ଧର୍ମ । ଯଜ୍ଞ କର ବିଶ୍ବର କଲ୍ୟାଣପାଇଁ, ଶାନ୍ତି ପାଇଁ । ବିଶ୍ବଶାନ୍ତି ନିମିତ୍ତ ପ୍ରତିଦିନ ସାୟଂ ପ୍ରାତଃ ପ୍ରାର୍ଥନା ମହାଯଜ୍ଞର ଆୟୋଜନ କରେ । ହିନ୍ଦୁ ଧର୍ମାନ୍ତରଣ କର ନାହିଁ । ସବୁ ଧର୍ମକୁ ପାଳନ କରିବାର ସୁଯୋଗ, ସୁବିଧା ଉପଲବ୍ଧ କରାଏ । ଭାରତର ସାଧୁ ସନ୍ନ୍ୟାସୀ ପୃଥବୀର ବିଭିନ୍ନ ଦେଶକୁ ଯାଇଛନ୍ତି, ଧର୍ମ ଆଚରଣଦ୍ବାର ବିଜୟୀ ହୋଇଛନ୍ତି । ଭାରତ ଉପରେ ଅନେକଙ୍କର ଆକ୍ରମଣ ହୋଇଛି, ମନ୍ଦିର ଭାଙ୍ଗିଛି; କିନ୍ତୁ ଭାରତୀୟ ମାନେ ଅନ୍ୟ ଧର୍ମର ମସଜିଦ, ଚର୍ଜ ଆଦି ଭାଙ୍ଗି ନାହାନ୍ତି ।

ବିଧର୍ମୀ ଆକ୍ରମଣ କରି ମା’ ଭଉଣୀଙ୍କ ଉପରେ ଅନେକ ଅତ୍ୟାଚାର କରିଛନ୍ତି- ହିନ୍ଦୁ ଯଦିବା ଯୁଦ୍ଧ କରିଛି, ପ୍ରତିକାର ପାଇଁ ବା ରାଜ୍ୟ ଜୟ ପାଇଁ, କୌଣସି ମା’ ଭଉଣୀଙ୍କ ଇଜ୍ଜତ ସହିତ ଖେଳ ଖେଳି ନାହିଁ ।

ହିନ୍ଦୁ ବ୍ୟବସ୍ଥାରେ ବ୍ରହ୍ମଚାରୀ, ସନ୍ନ୍ୟାସୀ, ଧ୍ୟାନ, ଧାରଣା, ସମାଧି, ପବିତ୍ରତା, ସତୀ, ଦୟା, କରୁଣା, ଅହିଂସା, ଗୋଶାଳା, ଧର୍ମଶାଳା, ଆଶ୍ରମ, ଯଜ୍ଞ, ଦାନ, ପିତୃପୁରୁଷ ପିଣ୍ଡ, ଶ୍ରାଦ୍ଧ, ଦଶାହକର୍ମ, ବିବାହ, ବ୍ରତ, ପର୍ବପର୍ବାଣି, ଜାନିଯାତ୍ରା, ମେଳା, ପ୍ରକୃତି ପୂଜା, ତୁଳସୀ ବେଲ, ନିମ୍ବ, ବର ଅଶ୍ବତ୍‌ ଆଦି ବୃକ୍ଷମାନଙ୍କରେ ଦେବତ୍ବ ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରେ । ହିନ୍ଦୁମାନଙ୍କ ବଦ୍ଧମୂଳ ଧାରଣା ‘ଈଶ୍ବର ସର୍ବଭୂତାନି’ ଯାହା କରେ, ଅନ୍ୟ ମତାବଲମ୍ବୀଙ୍କ ପାଖରେ ଦୃଷ୍ଟିଗୋଚର ହୁଏ ନାହିଁ ।

*ବିନୟ କୁମାର ଭୂୟାଁ*

(କ୍ଷେତ୍ରୀୟ ଧର୍ମ ଜାଗରଣ ପ୍ରମୁଖ)

3 thoughts on “ହିନ୍ଦୁଧର୍ମର ବିଶେଷତା”

Leave a Comment

Your email address will not be published. Required fields are marked *